ଆନ୍ଧ୍ର ମାଫିଆଙ୍କ କବଜାରେ କରାତଳି ତାମ୍ପରା: ଦାଦନ ମୁହାଁ ମତ୍ସ୍ୟଜୀବୀ
ଛତ୍ରପୁର;(ଏନଆର):- ଛତ୍ରପୁର ବ୍ଲକ ପ୍ରକୃତି ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲେ ମଧ୍ୟ ଏହାର ପ୍ରଶାସନିକ ଯତ୍ନ ଓ ପ୍ରକୃତିକ ସଂପଦ ମାନଙ୍କ ସୁରକ୍ଷାର ଅବହେଳା ଲାଗି ବର୍ତ୍ତମାନ ପ୍ରାକୃତିକ ହ୍ରଦ ଗୁଡିକ ସଙ୍କଟଜନକ ଅବସ୍ଥାରେ। ଛତ୍ରପୁର ତହସିଲ ଅନ୍ତର୍ଗତ କରାତଳି ତାମ୍ପରା ହ୍ରଦ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ରିହିଅଛି। କରାତଳି ତାମ୍ପରା ୬୦୧.୧୦ ହେକ୍ଟର ଅଞ୍ଚଳରେ ଥିବା ରେକର୍ଡ କହୁଥିଲେ ମଧ୍ୟ ବର୍ତ୍ତମାନ ପାଖାପାଖି ୫୦୦ ହେକ୍ଟର ଜମିରେ ହିଁ ପାଣି ରହୁଛି । ତାମ୍ପରା ନିକଟରେ ଥିବା ରାଜସ୍ବ ଜମିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ହାତବାରିସି କରି ପୂର୍ବରୁ ନିଜ ନାମରେ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଆନ୍ଧ୍ର ମାଫିଆଙ୍କ ପ୍ରଲୋଭନରେ ଶିକାର ହୋଇ ସେମାନଙ୍କୁ ବିକ୍ରି କରି ଦେଲେ। ଯାହା ଫଳରେ ସେମାନେ ଧିରେ ଧିରେ ନିଜର ବାଣିଜ୍ୟ କାରବାର ପୋଖରୀ ଓ କୁକୁଡ଼ା ଚାଷ କରି ନିଜ କଳା ସାମ୍ରାଜ୍ୟର ଭିତ୍ତିଭୂମି ମଜବୁତ କରିଚାଲିଲେ । ରାଜନୌତିକ ଓ ପ୍ରଶାସନିକ ଉଭୟ ସ୍ତରରେ ନିଜର ପ୍ରବାହ ଓ ପକଡକୁ ବିସ୍ତାରିତ କରିଚାଲିଲେ । ନିଜ ବ୍ଯବସାୟର ମୁନାଫାର ପାହାଡ଼ ଛିଡା କରିବା ପାଇଁ ପରିବେଶ ସୁରକ୍ଷାର ସବୁ ଆଇନକୁ ଜଳାଞ୍ଜଳୀ ଦେଇ ତାମ୍ପରା ହ୍ରଦର ସୁନିଳ ମିଠ ପାଣି କୁ ବ୍ୟବହାର କଲେ ଆଉ ମଇଳା ଆବର୍ଜନା ପାଣିକୁ ତାମ୍ପରା ହ୍ରଦରେ ଛାଡ଼ିବା ଆରମ୍ଭ ହେଲା ଯଦ୍ୱାରା ଧିରେ ଧିରେ ମାଛ ମରିବାରେ ଲାଗିଲେ ଓ ବର୍ତ୍ତମାନ ଅନେକ ଜଳଚର ପ୍ରାଣୀ ସେଇଟେ ସଂପୂର୍ଣ୍ଣ ଲୋପ ପାଇଗଲାଣି। ସେଠିକାର ପାରମ୍ପରିକ ଧିବର ମାନଙ୍କ ମତନୁଯାୟୀ ପୂର୍ବଭଳି ଚିଙ୍ଗୁଡି ଆଉ ମାଛ ହ୍ରଦରେ ଦେଖାଯାଉନାହାନ୍ତି ଏବଂ ଅନେକ କିସମର ମାଛ ଥିଲେ ତାହା ଲୋପ ପାଇବାକୁ ଗଲାଣି। ପାଣିରେ ବେଶି ସମୟ ଗାଧୋଇବା ଦ୍ବାରା ବର୍ତ୍ତମାନ କାଚୁ କୁଣ୍ଡିଆ ଓ ବିଭିନ୍ନ ପ୍ରକାର ଜଳଜନିତ ରୋଗ ଦେଖିବାକୁ ମିଳୁଛି । ଯାହା ଜଳସେଚନ ଓ ପରିବେଶ ଆଇନକୁ ଖୋଲାଖୋଲି ଉଲଂଘନର ଫଳପ୍ରଦ । ଛତ୍ରପୁର ବ୍ଲକର କରାତଳି, ଦନେଇବ୍ରହ୍ମପୁର, ପାଟପୁର ଗ୍ରାମର ୫୦୦ ପରିବାରରୁ ଉର୍ଦ୍ଧ ମତ୍ସ୍ୟଜୀବୀ ପରିବାରମାନେ କରାତଳି ତାମ୍ପରାରେ ମାଛ ମାରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ହେଲେ ଦୀର୍ଘ ୭ ବର୍ଷ ହେଲା ଆନ୍ଧ୍ର ମାଫିଆଙ୍କ ଯୋଗୁଁ ସେମାନେ ବହୁ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି। ତାମ୍ପରା ପୋତି ହୋଇଯାଇଥିବା ସହ ଜବରଦଖଲ ଦ୍ଵାରା ମତ୍ସ୍ୟଜୀବୀମାନେ ନିଜର ରୋଜଗାର ହରାଇଛନ୍ତି। ନିଜ ପରିବାରର ପେଟପାଟଣା ପାଇଁ ଚେନ୍ନାଇ, ତାମିଲନାଡୁ, ବେଙ୍ଗଲୋର, ସୁରାଟ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ତାମ୍ପରା ଦ୍ଵାରା ଛତ୍ରପୁର ବ୍ଲକର ବିପୁଳିଙ୍ଗି, ଭିକାରୀପଲ୍ଲୀ, ବଉଳଗାଁ, ମହାନାଦପୁର ଓ ଗଞ୍ଜାମ ବ୍ଲକର ରାଜପୁର ପଞ୍ଚାୟତ ଅଧିନସ୍ଥ ୩୬ଟି ଗ୍ରାମର ଚାଷଜମିକୁ ଜଳସେଚିତ ସୁବିଧା ମିଳୁଥିଲା। କିନ୍ତୁ ପୁନରୁଦ୍ଧାର କରାଯାଉନଥିବାରୁ କରାତଳି ତାମ୍ପରା ପୋତି ହୋଇଗଲାଣି। ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡି ଏ କଥା ଅନେକଥର ଛତ୍ରପୁର ବ୍ଳକ ସମିତି ମିଟିଙ୍ଗରେ ଉଠେଇ ସମାଧାନ ପାଇଁ ହ ହଲ୍ଲା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏବଂ ଏହି ବାବଦରେ ଜିଲ୍ଲାପାଳ ତହସିଲଦାର ସମସ୍ତଙ୍କୁ କହିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥି ପ୍ରତି ଦାୟିତ୍ବବାନ ନ ହୁଅନ୍ତି ତେବେ ସମୟର ଅନ୍ତରାଳରେ ମାଫିଆଙ୍କ ମୁନାଫାର ପାହାଡ଼ ତଳେ ପ୍ରକୃତିର ଏ ସୁନ୍ଦର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ଇତିହାସ ପାଲଟି ଯିବ । ତୁରନ୍ତ ପ୍ରାକୃତିକ ସଂପଦ ଚାଷୀ ଓ ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାକୁ ଆଖି ଆଗରେ ରଖି ସ୍ଥାୟୀ ସମାଧାନ ସହ ଏହାର ସୁରକ୍ଷା ଦାବି କରିଛନ୍ତି ଓଡିଶାର ବିଶିଷ୍ଟ ପରିବେଶବିତ ପ୍ରଫୁଲ ସାମନ୍ତରା ଏହି ବାବଦରେ ତମ୍ପରାର ମୂଳ ସରକାରୀ ରେକାର୍ଡ ରେ ଥିବା ଜମିକୁ ପୁନର୍ଦ୍ଧାର କରାଯିବା ସହ ବେନାମୀ ଜମିକୁ ଫେରାଇ ଅଣାଯାଇ ,ମାଛ ଚାଷ ଦ୍ଵାରା ରାସାୟନିକ ପ୍ରଦୂଷଣ ରୁ ଜଳାଶୟ ର ସୁରକ୍ଷା କରିବାକୁ ଦାବି କରିଛନ୍ତି । ପୂର୍ବତନ ବିଧାୟକ ନାରାୟଣ ରେଡି ମଧ୍ୟ ଅନ୍ୟ ବିଧାୟକଙ୍କ ମଧ୍ୟମରେ ଏ କଥା ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି। ବିପୁଳିଙ୍ଗି ସରପଞ୍ଚ ଟି. ନରସିଂହ ରେଡ୍ଡୀ, ମତ୍ସ୍ୟଜୀବୀ ସଭାପତି ପ୍ରଫୁଲ୍ଲ ବେହେରା, ଚାଷୀ ନେତା ସୀମାଞ୍ଚଳ ନାହାକ, ପରିବେଶ ସୁରକ୍ଷା ଜୀବନ ଜୀବିକା ମଞ୍ଚ ଆବାହକ ତଥା ମତ୍ସ୍ଯଜୀବୀ ନେତା ଗୁରୁଦେବ ବେହେରା, ପ୍ରମୁଖ ତାମ୍ପରାର ସୁରକ୍ଷାକୁ ନେଇ ଦାବୀ କରିଛନ୍ତି ।
ରିପୋର୍ଟ-ଇଜୁ ଆମିର ଖାନ , ଛତ୍ରପୁର

















